ତୁମକୁ ଭେଟିବା ପରେ - 34 (Tumaku Bhetiba Pare -34 / Odia Poem) - Poem by Subhas Chandra Chakra

କି ଲାଭ ପାଅ ଯେ ତମେ

ମୋ ଭିତରେ

ଜ୍ବାଳା ଭରି ଦେଇ?

ମୋ ଭିତର

ରୁଦ୍ଧ କୋଠରୀରେ

ଏବେ ଖାଲି ତୁମ ଛବି ଭର୍ତ୍ତି

ଏ କଥା ତ ତମେ ଜାଣ

ଖୁବ୍ ଭଲ କରି!


ତଥାପି କାହିଁକି ଭଲା

ମୋ ଛାତିକୁ ଜଳାଇବା

ତୁମ ପାଇଁ ଗୋଟେ

ମଉଜିଆ ଖେଳ ପାଲଟିଛି,

ଯେତିକି ଭାବୁଛି ଏବେ

ତୁମେ ମୋର ମୋର -

ସେତିକି ସେତିକି ତମେ

ଆଜିକାଲି ଯାଉଚ ଦୂରେଇ!


ମୋ ଆଖିଠୁ

ରହୁଛ ଛଡେଇ ହୋଇ! !

ତମରି ଇଲାକା ବୋଲି

ଚିତ୍ର ଟିଏ ଉଠାଇବା

ଖୁସିରେ ଖୁସିରେ -

ସତେ କ'ଣ

ମୋ କପାଳେ ନାହିଁ? ?

Add Comment